ଜାତୀୟ ରାଜପଥ ପ୍ରାଧିକରଣ କଣ୍ଟ୍ରାକ୍ଟର ଓ କନ୍‌ସଲଟାଣ୍ଟ ଆଦିଙ୍କ ପ୍ରଦର୍ଶନର ରେଟିଂ ବ୍ୟବସ୍ଥା କରିବ

ଜାତୀୟ ରାଜପଥ ପ୍ରାଧିକରଣ କଣ୍ଟ୍ରାକ୍ଟର ଓ କନ୍‌ସଲଟାଣ୍ଟ ଆଦିଙ୍କ ପ୍ରଦର୍ଶନର ରେଟିଂ ବ୍ୟବସ୍ଥା କରିବ

ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ଏକ ଭେଣ୍ଡର ପରଫର୍‌ମାନ୍ସ ଇଭାଲ୍ୟୁସନ ସିଷ୍ଟମ ବିକଶିତ କରିଛି । ପ୍ରାଧିକରଣ ସହ କାର୍ଯ୍ୟ କରୁଥିବା ବିଭିନ୍ନ କଣ୍ଟ୍ରାକ୍ଟର, କନ୍‌ସଲଟାଣ୍ଟ ଓ କନ୍‌ସେସ୍‌ନାୟାର ସଂସ୍ଥାଗୁଡିକର କାର୍ଯ୍ୟର ପ୍ରଦର୍ଶନକୁ ସମୀକ୍ଷା କରି ତାହାର ମୂଲ୍ୟାୟନ କରିବା ଏହି ବ୍ୟବସ୍ଥାର ଲକ୍ଷ୍ୟ । ଏହା ଫଳରେ ସଂପୃକ୍ତ ସଂସ୍ଥାଙ୍କ କାର୍ଯ୍ୟ ଓ ପ୍ରଦର୍ଶନ ସଂପର୍କରେ ଏକ ସ୍ୱଚ୍ଛ ଓ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ । ପ୍ରାଧିକରଣ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ନିରପେକ୍ଷ ଭାବରେ ଏହି ରେଟିଂ, ସମୀକ୍ଷା ଓ ଆକଳନ ପୋର୍ଟାଲ ମାଧ୍ୟମରେ କରାଯିବ । ଏହା ଫଳରେ ଦେଶର ବିଭିନ୍ନ ରାଜପଥ ପ୍ରକଳ୍ପରେ ସଂପୃକ୍ତ ଥିବା ଭେଣ୍ଡରମାନଙ୍କର କାର୍ଯ୍ୟର ଉଚିତ ମୂଲ୍ୟାୟନ କରାଯାଇପାରିବ ।

ଜାତୀୟ ରାଜପଥ ପ୍ରାଧିକରଣର ୱେବସାଇଟରେ ଏହି ପୋର୍ଟାଲ ଉପଲବ୍ଧ । ଏହାର ନାମ ରଖାଯାଇଛି ଭେଣ୍ଡର ପରଫର୍‌ମାନ୍ସ ଇଭାଲ୍ୟୁସନ ସିଷ୍ଟମ । ଏହି ପୋର୍ଟାଲ ଅଧୀନରେ ଭେଣ୍ଡରମାନଙ୍କୁ ଆତ୍ମଆକଳନ ବା ସେଲ୍‌ଫ ଆସେସ୍‌ମେଣ୍ଟ ତଥ୍ୟ ଦେବାକୁ ପଡିବ । ଏ ସଂକ୍ରାନ୍ତ ନଥିପତ୍ର ସେମାନଙ୍କୁ ପୋର୍ଟାଲରେ ଅପ୍‌ଲୋଡ କରିବାକୁ ହେବ । ସେମାନେ କେଉଁ ପ୍ରକଳ୍ପରେ ସଂପୃକ୍ତ, ଏହାର ନିର୍ମାଣ ସ୍ଥିତି ଓ ପ୍ରଗତି ଆଦି ସଂପର୍କରେ ସବିଶେଷ ତଥ୍ୟ ଦେବାକୁ ପଡିବ । ଏହିସବୁ ତଥ୍ୟକୁ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ବିଭିନ୍ନ ସ୍ତରରେ ସମୀକ୍ଷା କରି ସଂପୃକ୍ତ ଭେଣ୍ଡରଙ୍କ ରେଟିଂ ବା ପ୍ରଦର୍ଶନର ମୂଲ୍ୟାୟନ କରିବେ । କେଉଁ ଭେଣ୍ଡରଙ୍କ ରେଟିଂ କ’ଣ ତାହା ପୋର୍ଟାଲରେ ଉପଲବ୍ଧ ହେବ ।

ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଯେଉଁସବୁ ସର୍ତ୍ତ ଓ ମାନଦଣ୍ଡ ରହିଛି ସେଗୁଡିକ ସହିତ ଭେଣ୍ଡରଙ୍କ ପ୍ରଦର୍ଶନର ତୁଳନା କରାଯିବ ଏବଂ ତଦନୁସାରେ ରେଟିଂ ଦିଆଯିବ । ନିର୍ମାଣ କାର୍ଯ୍ୟ ଆରମ୍ଭ ସମୟ, ଏହାର ପ୍ରଗତି, ପ୍ରକଳ୍ପର ସମାପ୍ତି ତାରିଖ, ସଂସ୍ଥାଙ୍କର ସ୍ୱାଧୀନ ଇଂଜିନିୟରିଂ ବ୍ୟବସ୍ଥା, ଡିପିଆର କନ୍‌ସଲଟାନ୍ସି ଏବଂ ଅନ୍ୟାନ୍ୟ ସମସ୍ତ ତଥ୍ୟାବଳୀକୁ ରେଟିଂ ସମୟରେ ବିଚାରକୁ ନିଆଯିବ ।

ରେଟିଂକୁ ଅତ୍ୟନ୍ତ ନିରପେକ୍ଷ ଓ ନ୍ୟାୟୋଚିତଭାବେ କରିବାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଭେଣ୍ଡରଙ୍କୁ ମିଳିଥିବା ରେଟିଂ ଅନ୍ୟ ଭେଣ୍ଡରମାନେ ଦେଖିବାର ସୁବିଧା ମଧ୍ୟ ରହିଛି । କୌଣସି ଭେଣ୍ଡର ଯଦି ପାଇଥିବା ରେଟିଂରେ ସନ୍ତୁଷ୍ଟ ନ ହୁଅନ୍ତି ତାଙ୍କୁ ଆବେଦନ କରିବାର ସୁଯୋଗ ଦେବାର ବ୍ୟବସ୍ଥା ଅଛି ।

ଆଜିସୁଦ୍ଧା 583 ପ୍ରକଳ୍ପ ସଂପର୍କରେ ଭେଣ୍ଡରମାନେ ତଥ୍ୟ ଉପସ୍ଥାପନ କରିଛନ୍ତି । ସେଥିମଧ୍ୟରୁ 519 କନ୍‌ସଲ୍‌ଟାଣ୍ଟ ଓ 334 କଣ୍ଟ୍ରାକ୍ଟର ଅଛନ୍ତି । ସେସବୁର ତଥ୍ୟ ଏବେ ବିଭିନ୍ନ ସ୍ତରରେ ଆକଳନ କରାଯାଉଛି । ଯେଉଁ ଭେଣ୍ଡରମାନେ ଆବଶ୍ୟକ ନଥିପତ୍ର ପୋର୍ଟାଲରେ ଅପ୍‌ଲୋଡ କରିବାରେ ବିଫଳ ହେବେ ସେମାନଙ୍କୁ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିଲାମରେ ଭାଗ ନେବାକୁ ଅନୁମତି ମିଳିବ ନାହିଁ ।

ନୂଆ ପ୍ରକଳ୍ପ ଭେଣ୍ଡରଙ୍କୁ ପ୍ରଦାନ କରିବାବେଳେ ନିଲାମ ଡାକିବା ସଂକ୍ରାନ୍ତ କାଗଜପତ୍ରରେ ରେଟିଂ ତଥ୍ୟ ପ୍ରଦାନ କରିବା ସଂଶୋଧିତ ବ୍ୟବସ୍ଥାରେ ବାଧ୍ୟତାମୂଳକ ହୋଇଛି । ସେଥିପାଇଁ ଏହି ରେଟିଂ ବ୍ୟବସ୍ଥା କରାଯାଉଛି ବୋଲି ପ୍ରାଧିକରଣ ପକ୍ଷରୁ କୁହାଯାଇଛି । ଏହି ରେଟିଂ ବ୍ୟବସ୍ଥା ଭେଣ୍ଡରଙ୍କ ଉତ୍ତର ଦାୟିତ୍ୱ ବୃଦ୍ଧି କରିବ ଏବଂ ଏହାଦ୍ୱାରା ରାଜପଥର ମାନରେ ଉନ୍ନତି ଆସିବ ।

Related Stories

No stories found.
logo
The News Agency
www.thenewsagency.in